୩୦ ସେପ୍ଟେମ୍ବର ପୂର୍ବରୁ ଶେଷ କରନ୍ତୁ ପିଲାମାନଙ୍କ ଆଧାର କାମ। ଯଦି ପିଲାମାନଙ୍କ ଆଧାର କାର୍ଡକୁ ନେଇ କିଛି ଜରୁରୀ କାମ ଅଛି, ତେବେ ଏହାକୁ ଶେଷ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ। ଯଦି ପିଲାଙ୍କ ବୟସ ୫ କିମ୍ବା ୧୫ ବର୍ଷ ହୋଇସାରିଛି, ତେବେ ବର୍ତ୍ତମାନ ହିଁ ସେମାନଙ୍କର ବାୟୋମେଟ୍ରିକ୍ ଅପଡେଟ୍ କରାଇ ନିଅନ୍ତୁ। UIDAI ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଏହି ଅପଡେଟ୍କୁ ମାଗଣା ରଖିଛି। ନିକଟସ୍ଥ ଆଧାର ସେଣ୍ଟରକୁ ଯାଇ ପିଲାଙ୍କ ଆଙ୍ଗୁଠି ଛାପ (Fingerprint) ଏବଂ ଆଖିର ସ୍କାନିଂ (Iris Scan) ବିନା କୌଣସି ଦେୟରେ ଅପଡେଟ୍ କରାଯାଇପାରିବ।
ଭୁବନେଶ୍ୱର- ପିଲାମାନଙ୍କ ପାଇଁ ଆଧାରର ବ୍ୟବହାର ସ୍କୁଲ ଆଡମିସନ୍, ପରୀକ୍ଷା, ସ୍କୋଲାରସିପ୍ ଏବଂ ଅନେକ ସରକାରୀ ଯୋଜନାର ଫାଇଦା ନେବାରେ ହୋଇଥାଏ। ଏଭଳି ସ୍ଥିତିରେ ଆଧାରରେ ବାୟୋମେଟ୍ରିକ୍ ତଥ୍ୟ ଅପଡେଟ୍ ରହିବା ଦ୍ୱାରା ପରିଚୟ ଯାଞ୍ଚ ସମୟରେ ଅସୁବିଧା କମ୍ ହୋଇଥାଏ। UIDAI ମଧ୍ୟ ପିତାମାତା ଏବଂ ଅଭିଭାବକମାନଙ୍କୁ ଆବେଦନ କରିଛି ଯେ ସେମାନେ ଶେଷ ସମୟକୁ ଅପେକ୍ଷା ନକରି ସମୟ ଥାଉଁ ଥାଉଁ MBU (Mandatory Biometric Update) ପୂରଣ କରିନିଅନ୍ତୁ।
୫ ଏବଂ ୧୫ ବର୍ଷ ବୟସରେ ଜରୁରୀ ଏହି ଅପଡେଟ୍
ଛୋଟ ପିଲାମାନଙ୍କ ଆଧାର ତିଆରି କରିବା ସମୟରେ ସାଧାରଣତଃ ସେମାନଙ୍କ ଫଟୋ ଏବଂ ଅନ୍ୟାନ୍ୟ ଜରୁରୀ ସୂଚନା ନିଆଯାଇଥାଏ, କିନ୍ତୁ ୫ ବର୍ଷରୁ କମ୍ ବୟସର ପିଲାଙ୍କ ଫିଙ୍ଗରପ୍ରିଣ୍ଟ ଏବଂ ଆଇରିସ୍ ସ୍କାନ୍ ନିଆଯାଇନଥାଏ। ଏହାର କାରଣ ହେଉଛି ପିଲାଙ୍କ ବାୟୋମେଟ୍ରିକ୍ ବୈଶିଷ୍ଟ୍ୟ ବୟସ ବୃଦ୍ଧି ସହିତ ପରିବର୍ତ୍ତିତ ହୋଇଥାଏ। ତେଣୁ ୫ ବର୍ଷ ବୟସ ପୂରଣ ହେବା ପରେ ପ୍ରଥମ ବାୟୋମେଟ୍ରିକ୍ ଅପଡେଟ୍ ଏବଂ ୧୫ ବର୍ଷ ବୟସରେ ଦ୍ୱିତୀୟ ଅପଡେଟ୍ କରିବା ବାଧ୍ୟତାମୂଳକ ଅଟେ।
ସାରା ଦେଶର ଆଧାର ସେଣ୍ଟରଗୁଡ଼ିକରେ ପିଲାମାନଙ୍କର ଏହି ବାୟୋମେଟ୍ରିକ୍ ଅପଡେଟ୍ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବିନା କୌଣସି ଦେୟରେ କରାଯାଇପାରିବ। ଏହା ପରେ ମାଗଣା ସେବା ବୃଦ୍ଧି କରାଯିବ କି ନାହିଁ, ସେ ନେଇ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯାଇପାରେ। ଯଦି ମାଗଣା ସେବା ଜାରି ନରହେ, ତେବେ ଅପଡେଟ୍ ପାଇଁ ନିର୍ଦ୍ଧାରିତ ଶୁଳ୍କ ଦେବାକୁ ପଡ଼ିପାରେ।
ଏପର୍ଯ୍ୟନ୍ତ ୨ କୋଟି ପିଲାଙ୍କ ଅପଡେଟ୍ ଶେଷ
UIDAI ଅନୁଯାୟୀ, ସାରା ଦେଶରେ ଏପର୍ଯ୍ୟନ୍ତ ପ୍ରାୟ ୨ କୋଟି ସ୍କୁଲ ପିଲାଙ୍କ ବାୟୋମେଟ୍ରିକ୍ ଅପଡେଟ୍ କରାଯାଇସାରିଛି। ଏଥିପାଇଁ ଗତ ବର୍ଷ ସେପ୍ଟେମ୍ବର ମାସରୁ ଏକ ବିଶେଷ ଅଭିଯାନ ଆରମ୍ଭ କରାଯାଇଥିଲା, ଯାହା ୧.୫୬ ଲକ୍ଷରୁ ଅଧିକ ସ୍କୁଲରେ ପହଞ୍ଚିସାରିଛି। UIDAI ଅଭିଭାବକମାନଙ୍କୁ ନିବେଦନ କରିଛି ଯେ ସେମାନେ ପିଲାମାନଙ୍କର ଅପଡେଟ୍ ସମୟ ଥାଉଁ ଥାଉଁ କରାଇ ନିଅନ୍ତୁ, ଯାହାଦ୍ୱାରା ଶେଷ ଦିନଗୁଡ଼ିକରେ ହେଉଥିବା ଗହଳି ଏବଂ ବିଳମ୍ବରୁ ବଞ୍ଚିହେବ।
ପ୍ରକାଶଥାଉ କି, UIDAI ୧ ଅକ୍ଟୋବର ୨୦୨୫ ରୁ ୭ ରୁ ୧୫ ବର୍ଷ ବୟସର ପିଲାମାନଙ୍କ ପାଇଁ ମଧ୍ୟ ଗୋଟିଏ ବର୍ଷ ପାଇଁ ବାୟୋମେଟ୍ରିକ୍ ଅପଡେଟ୍ ଫି’ ଛାଡ଼ କରିଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅଧିକରୁ ଅଧିକ ପିଲାଙ୍କ ଆଧାରରେ ଜରୁରୀ ବାୟୋମେଟ୍ରିକ୍ ସୂଚନା ଅପଡେଟ୍ କରାଇବା।









