ଭୁବନେଶ୍ୱର : ସରକାରୀ ସେବା ପ୍ରଦାନରେ ବିଳମ୍ବ କଲେ ଏଣିକି ତଣ୍ଡ ଗଣିବେ ସମ୍ପୃକ୍ତ ଅଧିକାରୀ। ଓଡ଼ିଶା ଜନସେବା ଅଧିକାର ଆଇନ, ୨୦୧୨ ଅଧୀନରେ ଥିବା ସେବାଗୁଡ଼ିକୁ ଅଧିକ ପାରଦର୍ଶୀ ଓ ଉତ୍ତରଦାୟୀ କରିବା ପାଇଁ ସରକାର ‘ଅଟୋ-ଅପିଲ୍ ସିଷ୍ଟମ୍’ ଲାଗୁ କରିଛନ୍ତି। ଏହାର ସୁପରିଚାଳନା ପାଇଁ ସାଧାରଣ ପ୍ରଶାସନ ବିଭାଗ ନୂଆ ଗାଇଡ୍ଲାଇନ୍ ବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର (SOP) ଜାରି କରିଛି।
ନୂଆ ନିୟମ ଅନୁଯାୟୀ, ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆବେଦନର ସମାଧାନ ନ କରି ସେବା ପ୍ରଦାନରେ ବିଳମ୍ବ କଲେ ଦାୟୀ ଅଧିକାରୀଙ୍କ ଉପରେ ଆର୍ଥିକ ଜରିମାନା ଲାଗିବ। ବିଳମ୍ବର ପ୍ରତିଦିନ ପାଇଁ ୨୫୦ ଟଙ୍କା ହିସାବରେ ସର୍ବାଧିକ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ।ବିଶେଷ କଥା ହେଉଛି, ଏହି ଜରିମାନା ଅର୍ଥ ସମ୍ପୃକ୍ତ ଅଧିକାରୀଙ୍କ HRMS ଓ ଟ୍ରେଜେରୀ ସିଷ୍ଟମ୍ ସହ ସଂଯୋଗ କରି ସିଧାସଳଖ ତାଙ୍କ ଦରମାରୁ ଆଦାୟ କରାଯିବ। ଏହି ନୂଆ SOP ସମ୍ପର୍କରେ ସମସ୍ତ ବିଭାଗକୁ ଅବଗତ କରାଯାଇଛି।
କେମିତି କାମ କରିବ ‘ଅଟୋ-ଅପିଲ୍ ସିଷ୍ଟମ୍’?
ଓଡ଼ିଶା ଜନସେବା ଅଧିକାର ଆଇନ ଅଧୀନରେ କୌଣସି ସରକାରୀ ସେବା ପାଇଁ ଆବେଦନକାରୀ ଅନଲାଇନ୍ ପୋର୍ଟାଲ୍ରେ ଆବେଦନ କରିବେ। ଆବେଦନ ପରେ ତାଙ୍କୁ ଏକ ସ୍ୱତନ୍ତ୍ର ଆକନଲେଜମେଣ୍ଟ ନମ୍ବର ମିଳିବ।ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଦାୟିତ୍ୱପ୍ରାପ୍ତ ଅଧିକାରୀ ଯଦି ଆବେଦନର ସମାଧାନ ନ କରନ୍ତି କିମ୍ବା ସେବା ପ୍ରଦାନରେ ବିଫଳ ହୁଅନ୍ତି, ତେବେ ଆବେଦନକାରୀଙ୍କୁ ଅଲଗା ଭାବେ ଅପିଲ୍ କରିବାକୁ ପଡ଼ିବ ନାହିଁ। ସିଷ୍ଟମ୍ ସ୍ୱୟଂଚାଳିତ ଭାବେ ସମ୍ପୃକ୍ତ ମାମଲାକୁ ‘ଅଟୋ-ଅପିଲ୍’ ଭାବରେ ପ୍ରଥମ ଅପିଲେଟ୍ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇଦେବ।ଏହି ବ୍ୟବସ୍ଥା ଦ୍ୱାରା ସରକାରୀ ସେବା ପ୍ରଦାନରେ ବିଳମ୍ବ କମିବା ସହ ଦାୟୀ ଅଧିକାରୀଙ୍କ ଉତ୍ତରଦାୟିତ୍ୱ ବଢ଼ିବ ବୋଲି ଆଶା କରାଯାଉଛି। ସାଧାରଣ ଲୋକଙ୍କୁ ସମୟସୀମା ମଧ୍ୟରେ ସେବା ଯୋଗାଇଦେବା ଏବଂ ସରକାରୀ ବ୍ୟବସ୍ଥାକୁ ଅଧିକ ପାରଦର୍ଶୀ କରିବା ଏହି ନୂଆ ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ।









