ବେସରକାରୀ ଚାକିରିର କୌଣସି ଭରସା ନାହିଁ। ଏପରି ପରିସ୍ଥିତିରେ ଯଦି କୌଣସି କାରଣରୁ ଆପଣଙ୍କ ଚାକିରି ଚାଲିଯାଏ, ତେବେ ଏହି ଯୋଜନା ଆପଣଙ୍କ ପାଇଁ ବହୁତ କାମରେ ଆସିପାରିବ। କେତେବେଳେ କ’ଣ ହୋଇଯିବ, କିଛି କହିହେବ ନାହିଁ! ସାରା ବିଶ୍ୱରେ ଚାଲିଥିବା ଯୁଦ୍ଧ ଏବଂ ବିଗୁଡ଼ୁଥିବା ପରିସ୍ଥିତି ମଧ୍ୟରେ ଚାକିରି ଉପରେ ମଧ୍ୟ ଅନେକ ସମୟରେ ସଙ୍କଟ ଗଭୀର ହେବାରେ ଲାଗେ। କେନ୍ଦ୍ର ସରକାରଙ୍କର ଏପରି ଏକ ଯୋଜନା ରହିଛି, ଯାହା ଚାକିରି ଚାଲିଯିବା ସ୍ଥିତିରେ ଆପଣଙ୍କର ବହୁତ କାମରେ ଆସିପାରିବ। ESIC (କର୍ମଚାରୀ ରାଜ୍ୟ ବୀମା ନିଗମ) ର ‘ଅଟଳ ବୀମିତ ବ୍ୟକ୍ତି କଲ୍ୟାଣ ଯୋଜନା’ ଅଧୀନରେ ଚାକିରି ଗଲେ ଆପଣଙ୍କୁ ୯୦ ଦିନ ଅର୍ଥାତ୍ ୩ ମାସ ପାଇଁ ୫୦ ପ୍ରତିଶତ ଦରମା (ସାଲାରୀ) ମିଳିବ।
କେନ୍ଦ୍ର ସରକାର ଏହି ଯୋଜନା ବିଷୟରେ ଲୋକସଭାରେ ସୂଚନା ଦେଇ କହିଛନ୍ତି ଯେ, ଏହି ଯୋଜନାର ସଂପ୍ରସାରଣ ୧ ଜୁଲାଇ, ୨୦୨୬ ରୁ ୩୦ ଜୁନ୍, ୨୦୨୭ ପର୍ଯ୍ୟନ୍ତ କରିଦିଆଯାଇଛି। ଏହାକୁ ସରକାରଙ୍କ ତରଫରୁ ମଞ୍ଜୁରୀ ମଧ୍ୟ ମିଳିସାରିଛି। ଅଟଳ ବୀମିତ ବ୍ୟକ୍ତି କଲ୍ୟାଣ ଯୋଜନା (ABVKY) ଅଧୀନରେ ବୀମିତ ବ୍ୟକ୍ତିଙ୍କୁ ଜୀବନରେ ଗୋଟିଏ ଥର ୯୦ ଦିନ ପାଇଁ ଦରମାର ୫୦% ବେକାରୀ ସହାୟତା ରାଶି ପ୍ରଦାନ କରାଯାଇଥାଏ। ଶ୍ରମ ଏବଂ ରୋଜଗାର ରାଜ୍ୟମନ୍ତ୍ରୀ ଶୋଭା କରନ୍ଦଲାଜେ ଏହି ଯୋଜନା ବିଷୟରେ ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ଯୋଜନା ଅଧୀନରେ କ୍ଲେମ୍ ସେଟଲମେଣ୍ଟ ପ୍ରକ୍ରିୟାକୁ ଦ୍ରୁତ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି।
କ’ଣ ଏହି ଅଟଳ ବୀମିତ ବ୍ୟକ୍ତି କଲ୍ୟାଣ ଯୋଜନା?
ଏହି ଯୋଜନାଟି ESI ଅଧିନିୟମ, ୧୯୪୮ ର ଧାରା ୨ (୯) ଅନ୍ତର୍ଗତ ଆସୁଥିବା ଏକ ଯୋଜନା, ଯାହା କର୍ମଚାରୀମାନଙ୍କ ଲାଭ ପାଇଁ ଲାଗୁ କରାଯାଇଥିଲା। ଏହି ଯୋଜନାକୁ ୧ ଜୁଲାଇ ୨୦୧୮ ରେ ପରୀକ୍ଷାମୂଳକ ଭାବେ ୨ ବର୍ଷ ପାଇଁ ଆରମ୍ଭ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଭଲ ପ୍ରତିକ୍ରିୟା ମିଳିବା ପରେ ଏହାର ଅବଧିକୁ ବୃଦ୍ଧି କରାଯାଇଚାଲିଲା। ଯୋଜନା ଅଧୀନରେ ଜୀବନରେ ଗୋଟିଏ ଥର ୯୦ ଦିନ ପର୍ଯ୍ୟନ୍ତ ସହାୟତା ରାଶି ପ୍ରଦାନ କରାଯାଏ। ଆରମ୍ଭରୁ ଦରମାର ୨୫% ଟଙ୍କା ଦିଆଯାଉଥିଲା, ଯାହାକୁ ବୃଦ୍ଧି କରାଯାଇ ଏବେ ୫୦% କରିଦିଆଯାଇଛି।
ଅଟଳ ବୀମିତ ବ୍ୟକ୍ତି କଲ୍ୟାଣ ଯୋଜନାର ସର୍ତ୍ତାବଳୀ
-
ଚାକିରି ଛାଡ଼ିବା କିମ୍ବା ଯିବା ପୂର୍ବରୁ କର୍ମଚାରୀ ଅତିକମ୍ରେ ୧ ବର୍ଷ ହେବ ଚାକିରିରେ ଥାଆନ୍ତୁ।
-
ଏହାସହିତ ESIC ରେ ପଞ୍ଜୀକୃତ (Registered) ହୋଇଥିବା ଆବଶ୍ୟକ।
-
ଅତିକମ୍ରେ ୭୮ ଦିନ ପର୍ଯ୍ୟନ୍ତ କର୍ମଚାରୀଙ୍କ ପକ୍ଷରୁ ଅଂଶଦାନ (Contribution) ଜମା କରାଯାଇଥିବା ଦରକାର।
ଯୋଜନା ପାଇଁ କିପରି ହେବ ଆବେଦନ?
ଏହି ଯୋଜନା ପାଇଁ ଅଲଗା ଭାବେ ଆବେଦନ କରିବାର ଆବଶ୍ୟକତା ନାହିଁ। ଯଦି ଆପଣ ଅତିକମ୍ରେ ଏକ ବର୍ଷ ହେବ ଚାକିରିରେ ଅଛନ୍ତି ଏବଂ ESIC ଅଧୀନରେ ପଞ୍ଜୀକୃତ ଅଛନ୍ତି, ତା’ସହିତ ଅତିକମ୍ରେ ୭୮ ଦିନ ପର୍ଯ୍ୟନ୍ତ ଆପଣଙ୍କ ପକ୍ଷରୁ ଅଂଶଦାନ ଦିଆଯାଉଛି, ତେବେ ଆପଣ ଏହି ଯୋଜନା ଅଧୀନରେ କ୍ଲେମ୍ କରିବାକୁ ଯୋଗ୍ୟ ବିବେଚିତ ହେବେ। ଆପଣଙ୍କୁ ଅଲଗା ଭାବେ ଆବେଦନ କରିବାକୁ ପଡ଼ିବ ନାହିଁ। ଚାକିରି ଛାଡ଼ିବାର/ଯିବାର ୩୦ ଦିନ ପରେ ଏହି ଯୋଜନା ଅଧୀନରେ ବେକାରୀ ଭତ୍ତା ପ୍ରଦେୟ ହୋଇଥାଏ।
ଅଟଳ ବୀମିତ ବ୍ୟକ୍ତି କଲ୍ୟାଣ ଯୋଜନାର କ୍ଲେମ୍ କିପରି କରିବେ?
ଯଦି ଆପଣଙ୍କ ଚାକିରି ଯିବାର ୩୦ ଦିନ ହୋଇସାରିଛି, ତେବେ ଆପଣ ଏହି ଯୋଜନା ଅଧୀନରେ ବେକାରୀ ଭତ୍ତା ପାଇଁ କ୍ଲେମ୍ କରିପାରିବେ। ଯଦି ଆପଣଙ୍କ ଶେଷ ଦରମା ୨୦ ହଜାର ଟଙ୍କା ଥିଲା, ତେବେ ଆପଣଙ୍କୁ ଏହି ଯୋଜନା ଅଧୀନରେ ତିନି ମାସ ପର୍ଯ୍ୟନ୍ତ ୧୦-୧୦ ହଜାର ଟଙ୍କା ମିଳିବ।
-
କ୍ଲେମ୍ ପାଇଁ www.esic.in ପୋର୍ଟାଲକୁ ଯାଆନ୍ତୁ।
-
Employee ପୋର୍ଟାଲରେ ABVKY Eligibility ଉପରେ କ୍ଲିକ୍ କରନ୍ତୁ।
-
ଏଠାରେ ନିଜର ଇନ୍ସୁରାନ୍ସ ନମ୍ବର (Insurance Number) ଏବଂ ମୋବାଇଲ୍ ନମ୍ବର ଭରନ୍ତୁ ଏବଂ ସବ୍ମିଟ୍ କରନ୍ତୁ।
-
ମୋବାଇଲ୍କୁ ଆସିଥିବା OTP ଦ୍ୱାରା ଭେରିଫାଇ କରନ୍ତୁ ଏବଂ ସବ୍ମିଟ୍ କରନ୍ତୁ।
-
କ୍ଲେମ୍ ଭେରିଫିକେସନ୍ ପରେ ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଆସିଯିବ।
କ୍ଲେମ୍ ପାଇଁ କେଉଁ କେଉଁ ଦସ୍ତାବିଜ୍ (Documents) ଆବଶ୍ୟକ ହେବ?
୧. ଶପଥ ପତ୍ର (Affidavit)
୨. ଆଧାର କାର୍ଡ
୩. ବ୍ୟାଙ୍କ ଆକାଉଣ୍ଟ ବିବରଣୀ
ଏହି ସମସ୍ତ ଦସ୍ତାବିଜ୍ ଏବଂ କ୍ଲେମ୍ ଫର୍ମ ସହିତ ନିକଟସ୍ଥ ESIC ବ୍ରାଞ୍ଚ୍ କିମ୍ବା DCBO ରେ ଜମା କରିବାକୁ ପଡ଼ିବ। ଆପଣ ଡାକ ମାଧ୍ୟମରେ ମଧ୍ୟ ଏହି ଦସ୍ତାବିଜଗୁଡ଼ିକୁ ପଠାଇପାରିବେ।
ଅଟଳ ବୀମିତ ବ୍ୟକ୍ତି କଲ୍ୟାଣ ଯୋଜନା ସମ୍ବନ୍ଧିତ ଅନ୍ୟାନ୍ୟ ପ୍ରଶ୍ନୋତ୍ତର (FAQs)
୧. ESIS ଅଧୀନରେ ସର୍ବାଧିକ ଦରମା କେତେ ହୋଇଥାଏ?
ଉତ୍ତର: ESIS ଅଧୀନରେ ପଞ୍ଜୀକୃତ କର୍ମଚାରୀଙ୍କ ସର୍ବାଧିକ ଦରମା ୨୧,୦୦୦ ଟଙ୍କାରୁ ଅଧିକ ହୋଇନଥିବା ଆବଶ୍ୟକ। ଭିନ୍ନକ୍ଷମଙ୍କ କ୍ଷେତ୍ରରେ ଏହା ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇପାରେ।
୨. କ’ଣ ESIC ର ସଦସ୍ୟ ହେବା ପାଇଁ ଫି’ ଦେବାକୁ ପଡ଼ିବ?
ଉତ୍ତର: ଆପଣଙ୍କୁ ଅଲଗା ଭାବେ କୌଣସି ଫି’ ଦେବାକୁ ପଡ଼ିବ ନାହିଁ। ଆପଣଙ୍କ ଦରମାରୁ ହିଁ ପ୍ରତିମାସରେ ୦.୭୫% ଟଙ୍କା କାଟ ହୋଇଥାଏ। ଯଦି ଆପଣଙ୍କ ଦୈନିକ ମଜୁରୀ ୧୭୬ ଟଙ୍କାରୁ କମ୍, ତେବେ ତାହା ମଧ୍ୟ ଦେବାକୁ ପଡ଼ିବ ନାହିଁ।
୩. କ’ଣ ଅଟଳ ବୀମିତ ବ୍ୟକ୍ତି କଲ୍ୟାଣ ଯୋଜନା ପାଇଁ ଅଲଗା ପ୍ରିମିୟମ୍ ଦେବାକୁ ପଡ଼ିବ?
ଉତ୍ତର: ନା, ଆପଣଙ୍କୁ ଅଲଗା ଭାବେ କୌଣସି ପ୍ରିମିୟମ୍ ଦେବାକୁ ପଡ଼ିବ ନାହିଁ। ଯଦି ଆପଣ ESIC ର ସଦସ୍ୟ, ତେବେ ଆପଣ ଏହି ଯୋଜନାର ଯୋଗ୍ୟ ଅଟନ୍ତି।









