ଏବେ ଭାରତରେ ପ୍ରତିମାସରେ ଏକରୁ ଅଧିକ ନୂଆ କାର ଓ ଫେସଲିଫ୍ଟ ମଡେଲ ଲଂଚ୍ ହେଉଛି। ଏହା ସହିତ ଗୋଟିଏ ପରେ ଗୋଟିଏ ବିଦେଶୀ କାର କମ୍ପାନୀ ଭାରତକୁ ନିଜ ପ୍ରଡକ୍ଟ ନେଇ ଆସୁଛନ୍ତି। ଏବେ ଆପଣ କାର୍ ଶୋ’ରୁମ୍ କୌଣସି ପୁରୁଣା ମଡେଲ କାର ଯଦି ପସନ୍ଦ କରିବେ ତେବେ ଦିନ କେଇଟାରେ ଗାଡ଼ି ଆପଣଙ୍କ ଘରେ। ଅଧିକ ଚାହିଦା ଥିବା ମଡେଲ କିମ୍ବା ଇଭି ଗାଡି ପାଇଁ ୱେଟିଂ ପିରିୟଡ 8 ସପ୍ତାହ ହେଉଛି। ଯାହାକୁ ନେଇ ଗ୍ରାହକଙ୍କ ଅଭିଯୋଗର ଅନ୍ତ ନାହିଁ। କିନ୍ତୁ ସବୁବେଳେ ଏପରି ନଥିଲା। ଯଦି ଆପଣ ୭୦ କିମ୍ବା ୮୦ ଦଶକର କଥା କହିବେ, ତେବେ ଗୋଟିଏ କାର୍ କିଣିବା କୌଣସି ଯୁଦ୍ଧ ଜିତିବା ଠାରୁ କମ୍ ନଥିଲା। ଏପରିକି ଗୋଟିଏ ଟେଲିଭିଜନ, ରେଡିଓ କିମ୍ବା ରୋଷେଇ ଗ୍ୟାସ ସିଲିଣ୍ଡର ପାଇଁ ବି ଲୋକଙ୍କୁ ବର୍ଷ ବର୍ଷ ଧରି ଲାଇନରେ ଛିଡ଼ା ହେବାକୁ ପଡୁଥିଲା। ଏହା ଥିଲା ଲାଇସେନ୍ସ ରାଜର ସତ। ଗୋଟିଏ ସମୟରେ କାର କିଣିବା ପାଇଁ ଲୋକଙ୍କୁ 7 ବର୍ଷ ଅପେକ୍ଷା କରିବାକୁ ପଡୁଥିଲା।
ଗୋଟିଏ କାର୍, ଜୀବନସାରାର ଅପେକ୍ଷା
ସେତେବେଳେ ଦେଶରେ ମାତ୍ର ଦୁଇଟି ମୁଖ୍ୟ କାର୍ ତିଆରି ହେଉଥିଲା—ହିନ୍ଦୁସ୍ତାନ ଆମ୍ବାସଡର (Hindustan Ambassador) ଏବଂ ପ୍ରିମିୟର ପଦ୍ମିନୀ (Premier Padmini). ଏହାକୁ ଫିଆଟ୍ (Fiat) ମଧ୍ୟ କୁହାଯାଉଥିଲା। ଗାଡ଼ି କିଣିବା ପାଇଁ ବୁକିଂ କରିବା ପରେ ଆପଣଙ୍କୁ ୫ ରୁ ୭ ବର୍ଷର ଏକ ଦୀର୍ଘ ୱେଟିଂ ପିରିୟଡ୍ (waiting period) ସାରିବାକୁ ପଡୁଥିଲା। ମଜାଦାର କଥା ହେଉଛି, ଲୋକେ ଯୌବନରେ କାର୍ ବୁକ୍ କରୁଥିଲେ ଏବଂ ଗାଡ଼ି ତାଙ୍କ ହାତକୁ ସେତେବେଳେ ଆସୁଥିଲା, ଯେତେବେଳେ ସେମାନେ ରିଟାୟର ହେବା ପାଖାପାଖି ପହଞ୍ଚିଥାନ୍ତି।
ବୁକିଂ ରସିଦ, ବ୍ୟାଙ୍କ ଲକରରେ ରହୁଥିଲା
ଚିନ୍ତା କରନ୍ତୁ, କାର୍ ଏତେ ବିରଳ ଥିଲା ଯେ ଏହାର ବୁକିଂ ରସିଦକୁ ଲୋକେ ବ୍ୟାଙ୍କ ଲକରରେ ସେମିତି ସମ୍ଭାଳି ରଖୁଥିଲେ, ଯେମିତି କୌଣସି ସୁନା-ରୂପା କିମ୍ବା ଜରୁରୀ କାଗଜପତ୍ର। ଅନେକ ସମୟରେ ଏହା ବି ହୋଇଛି, ଯେଉଁ ବ୍ୟକ୍ତି ଗାଡ଼ି ବୁକ୍ କରିଥିଲେ, ତାଙ୍କର ଗାଡ଼ି ଆସିବା ପୂର୍ବରୁ ହିଁ ମୃତ୍ୟୁ ହୋଇଛି। ସେତେବେଳେ ସେହି ବୁକିଂ ବା ଗାଡ଼ି ପରିବାରରେ ଅନ୍ୟ କାହାକୁ ଏମିତି ଟ୍ରାନ୍ସଫର କରାଯାଉଥିଲା, ଯେମିତି କୌଣସି ଖାନଦାନୀ ଜମି କିମ୍ବା ସମ୍ପତି।
ଲାଇସେନ୍ସ ରାଜର କଳା ଆଇନ
ସେତେବେଳେ ଦେଶରେ ‘ଲାଇସେନ୍ସ ରାଜ’ ଚାଲିଥିଲା। ସରକାର ସବୁକିଛି ନିୟନ୍ତ୍ରଣ କରୁଥିଲେ। ସରକାର ହିଁ ସ୍ଥିର କରୁଥିଲେ ଯେ, କେଉଁ କମ୍ପାନୀ କେତେ କାର୍ ତିଆରି କରିବ। ଏପରିକି ଗୋଟିଏ ବର୍ଷରେ କେତେ ଗାଡ଼ି ବିକ୍ରି ହେବ, ତାହା ବି ସରକାରୀ ସ୍ତରରେ ନିଷ୍ପତ୍ତି ହେଉଥିଲା। ଆମ ଜନସଂଖ୍ୟା ତୁଳନାରେ ଉତ୍ପାଦନ ବହୁତ କମ୍ ଥିଲା। ସରକାରୀ ଅଫିସର, ମନ୍ତ୍ରୀ ଏବଂ ବଡ଼ ବ୍ୟବସାୟୀଙ୍କ ପାଇଁ ଅଲଗା କୋଟା ରହୁଥିଲା, କିନ୍ତୁ ଜଣେ ସାଧାରଣ ଲୋକ ପାଇଁ ଗାଡ଼ି କିଣିବା ଥିଲା ଆକାଶ କଇଁଆ ଚିଲିକା ମାଛ।
ବ୍ଲାକ୍ ମାର୍କେଟ୍: ଅଧିକ ପଇସା, ତୁରନ୍ତ ଗାଡ଼ି
ଯେଉଁଠି ଚାହିଦା ଅଛି କିନ୍ତୁ ଯୋଗାଣ କମ୍, ସେଠାରେ ବ୍ଲାକ୍ ମାର୍କେଟ୍ର (black market) ରାସ୍ତା ଖୋଲିବା ତ ସ୍ୱାଭାବିକ। ଯେଉଁମାନଙ୍କ ପାଖରେ ପଇସା ଥିଲା ଏବଂ ଲମ୍ବା ଅପେକ୍ଷା କରିବାକୁ ଚାହୁଁନଥିଲେ, ସେମାନେ ବ୍ଲାକ୍ ମାର୍କେଟ୍ରେ ଅତିରିକ୍ତ ପଇସା (ଯାହାକୁ ‘ଅନ୍-ମନି’ କୁହାଯାଉଥିଲା) ଦେଇ ପୂର୍ବରୁ ବୁକ୍ ହୋଇଥିବା ଗାଡ଼ିଗୁଡ଼ିକ କିଣି ନେଉଥିଲେ। ସେତେବେଳର ଗାଡ଼ିର ମୂଲ୍ୟ ଠାରୁ ‘ଅନ୍-ମନି’ କେତେବେଳେ କେମିତି ପାଖାପାଖି ଅଧା ମୂଲ୍ୟ ପର୍ଯ୍ୟନ୍ତ ବି ଚାଲିଯାଉଥିଲା।

ଖାଲି କାର୍ ନୁହେଁ, ସବୁ ଜିନିଷରେ ‘ୱେଟିଂ’
ଏହା କେବଳ କାର୍ କ୍ଷେତ୍ରରେ ନଥିଲା। ସେତେବେଳେ ଦେଶର ଅବସ୍ଥା ଏମିତି ଥିଲା ଯେ, କୌଣସି ବି ଆଧୁନିକ ଉପକରଣ କିଣିବା ପାଇଁ ଆପଣଙ୍କୁ ଧୈର୍ଯ୍ୟ ରଖିବାକୁ ପଡୁଥିଲା।
- ଟେଲିଭିଜନ ଏବଂ ରେଡିଓ: ଗୋଟିଏ ବ୍ଲାକ୍-ଏଣ୍ଡ-ୱାଇଟ୍ ଟିଭି କିମ୍ବା ଟ୍ରାଞ୍ଜିଷ୍ଟର ରେଡିଓ କିଣିବା ପାଇଁ ବି ମାସ ମାସ ଧରି ବୁକିଂ କରିବାକୁ ପଡୁଥିଲା। ଅନେକ ସମୟରେ ତ ଗୋଟିଏ ଗାଁରେ ମାତ୍ର ଗୋଟିଏ ଟିଭି ଥିଲା।
- ରୋଷେଇ ଗ୍ୟାସ: ନୂଆ ଗ୍ୟାସ୍ କନେକ୍ସନ୍ (Gas connection) ପାଇବା ଥିଲା ଏକ ବଡ଼ ଚ୍ୟାଲେଞ୍ଜ। ଆପଣଙ୍କୁ ଲାଇନରେ ଛିଡ଼ା ହୋଇ ବୁକ୍ କରିବାକୁ ପଡୁଥିଲା ଏବଂ ଏହି ଅପେକ୍ଷା କେତେବେଳେ ୨-୩ ବର୍ଷ ପର୍ଯ୍ୟନ୍ତ ବି ଚାଲୁଥିଲା। ଏହା ବେଶିଦିନର କଥା ନୁହେଁ। 1995 ମସିହା ପର୍ଯ୍ୟନ୍ତ ଏଭଳି ଚାଲୁଥିଲା।
- ସ୍କୁଟର: ବଜାଜ ଚେତକ (Bajaj Chetak) ସ୍କୁଟରର କ୍ରେଜ୍ ଏତେ ଥିଲା ଯେ, ଏହା ବି ୱେଟିଂ ଲିଷ୍ଟରେ ଚାଲୁଥିଲା। ଲୋକେ ଏହାକୁ ବିବାହରେ ଯୌତୁକ ଭାବେ ଦେବା ପାଇଁ ପୂର୍ବରୁ ବୁକ୍ କରି ଦେଉଥିଲେ।
ଅର୍ଥନୀତିର ‘ଜନ୍ମ-ଜାତକ’ ଓ ମାରୁତିର ଏଣ୍ଟ୍ରି
ଏହି ପରିସ୍ଥିତି ଥିଲା ଭାରତୀୟ ଅର୍ଥନୀତିର ଏକ ‘ଜନ୍ମ-ଜାତକ’। ‘ଲାଇସେନ୍ସ ରାଜ’ ପଛର ସରକାରୀ ଉଦ୍ଦେଶ୍ୟ ଥିଲା ଦେଶର ଧନକୁ କେଇଜଣକ ହାତରେ ସୀମିତ ନରଖିବା ଏବଂ ସବୁ ଜିନିଷକୁ ନିୟନ୍ତ୍ରଣରେ ରଖିବା, କିନ୍ତୁ ଏହା ବିପରୀତ ପ୍ରଭାବ ପକାଇଥିଲା। ଏହା ଭାରତୀୟ ଶିଳ୍ପର ବିକାଶକୁ ଅଟକାଇ ଦେଇଥିଲା।


(ମାରୁତି ଲଂଚ ସମୟର ବିଜ୍ଞାପନ(ବାମ),ମାରୁତିର ପ୍ରଥମ ଗ୍ରାହକ(ଡାହଣ)
୧୯୯୧ ମସିହାରେ ଅର୍ଥନୈତିକ ଉଦାରୀକରଣ (Economic Liberalization) ପୂର୍ବରୁ, ୧୯୮୦ ଦଶକରେ ‘ମାରୁତି’ (Maruti 800) ର ଭାରତରେ ଏଣ୍ଟ୍ରି ହେଲା। ମାରୁତି ସରକାର ଏବଂ ଜାପାନର ସୁଜୁକିର ଏକ ମିଳିତ ପ୍ରୋଜେକ୍ଟ ଥିଲା। ଏହାପରେ କାର୍ ଉତ୍ପାଦନ ବଢ଼ିଲା ଏବଂ ଦେଶର ସାଧାରଣ ଲୋକଙ୍କୁ କାର୍ କିଣିବା ସହଜ ହେଲା। ଦେଖୁ ଦେଖୁ କାର୍ ବାଜର ବଦଳିଗଲା ଏବଂ ଆଜି ଆମେ ସେହି ଦିନଗୁଡ଼ିକୁ ମନେ ପକାଇ ସେହି ସମୟର ସଂଘର୍ଷକୁ କଳ୍ପନା ବି କରିପାରୁନାହୁଁ।









