Home / Top Story / ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ନିୟମରେ ବଡ଼ ପରିବର୍ତ୍ତନ: ୨ ବର୍ଷରୁ ଅଧିକ ଡେରି ହେଲେ ଯିବାକୁ ପଡ଼ିବ କୋର୍ଟ

ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ନିୟମରେ ବଡ଼ ପରିବର୍ତ୍ତନ: ୨ ବର୍ଷରୁ ଅଧିକ ଡେରି ହେଲେ ଯିବାକୁ ପଡ଼ିବ କୋର୍ଟ

ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣରେ ଅବହେଳା କରୁଥିବା ଲୋକେ ସାବଧାନ ହୋଇଯାଆନ୍ତୁ। ସରକାର ଜନ୍ମ ଏବଂ ମୃତ୍ୟୁ ପ୍ରମାଣପତ୍ର ପଞ୍ଜୀକରଣ ନିୟମରେ ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହି ବିଧେୟକକୁ ରାଜ୍ୟସଭା ମଞ୍ଜୁରି ପ୍ରଦାନ କରିଛି। ଲୋକସଭା ପୂର୍ବରୁ ହିଁ ଏହାକୁ ମଞ୍ଜୁରି ଦେଇସାରିଛି। ଏହି ବିଧେୟକର ନାମ ହେଉଛି ‘ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ବିଧେୟକ, 2026’।

ମଙ୍ଗଳବାର ଦିନ ଦୁଇଥର ସ୍ଥଗିତ ହେବା ପରେ ଅପରାହ୍ନ ଦୁଇଟାରେ ଉଚ୍ଚ ସଦନର ବୈଠକ ପୁନର୍ବାର ଆରମ୍ଭ ହେବା ପରେ, ଉପସଭାପତି ହରିବଂଶଙ୍କ ଅନୁମତି କ୍ରମେ ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ବିଧେୟକ, 2026 କୁ ପାରିତ କରିବା ପାଇଁ ଉପସ୍ଥାପନ କରିଥିଲେ। ସଦନରେ ବିରୋଧୀଙ୍କ ହଙ୍ଗାମା ଭିତରେ ଶ୍ରୀ ରାୟ ଏହି ବିଧେୟକ ଉପସ୍ଥାପନ କରିଥିଲେ। ବିଧେୟକ ଉପରେ ହୋଇଥିବା ସଂକ୍ଷିପ୍ତ ଆଲୋଚନାର ଜବାବ ଦେଇ ଗୃହ ରାଜ୍ୟ ମନ୍ତ୍ରୀ କହିଥିଲେ ଯେ, ଏହି ବିଧେୟକର ଉଦ୍ଦେଶ୍ୟ ହେଉଛି ‘ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ ଅଧିନିୟମ, 1969’ (2023 ମସିହାରେ ସଂଶୋଧିତ) ର ଧାରା 13(3) ରେ ଆହୁରି ସଂଶୋଧନ କରିବା, ଯାହାଫଳରେ ବିଳମ୍ବରେ ହେଉଥିବା ପଞ୍ଜୀକରଣର ବ୍ୟବସ୍ଥାଗୁଡ଼ିକୁ ଅଧିକ କଡ଼ା କରାଯାଇପାରିବ।

ପୂର୍ବରୁ ଥିବା ବ୍ୟବସ୍ଥା ଅନୁଯାୟୀ, ଯଦି ଜନ୍ମ କିମ୍ବା ମୃତ୍ୟୁର ପଞ୍ଜୀକରଣ ଏକ ବର୍ଷରୁ ଅଧିକ ସମୟ ବିଳମ୍ବରେ କରାଯାଏ, ତେବେ ଏହାପାଇଁ ଜିଲ୍ଲା ମାଜିଷ୍ଟ୍ରେଟ୍ (DM), ଉପ-ମଣ୍ଡଳ ମାଜିଷ୍ଟ୍ରେଟ୍ (SDM)କିମ୍ବା କୌଣସି କାର୍ଯ୍ୟପାଳକ ମାଜିଷ୍ଟ୍ରେଟ୍‌ଙ୍କ ଆଦେଶର ଆବଶ୍ୟକତା ପଡ଼ୁଥିଲା। ଏହି ନୂତନ ବିଧେୟକରେ ବିଳମ୍ବର ସମୟସୀମାକୁ ଆଧାର କରି ଏକ ଦ୍ୱି-ସ୍ତରୀୟ ଅନୁମତି ବ୍ୟବସ୍ଥା ପ୍ରବଧାନ କରାଯାଇଛି।

ପୂର୍ବରୁ ବ୍ୟବସ୍ଥା କ‘ଣ ଥିଲା?

ମନ୍ତ୍ରୀ ରାୟ କହିଛନ୍ତି ଯେ ଦେଶରେ ଜନ୍ମ ନେଉଥିବା ପ୍ରତ୍ୟେକ ଶିଶୁର ଜନ୍ମ ପଞ୍ଜୀକରଣ ସଠିକ୍ ସମୟରେ ହେବା ଉଚିତ୍, ଯାହାଦ୍ୱାରା ସେ ତାର ସମସ୍ତ ଅଧିକାରର ଲାଭ ପାଇପାରିବ। ପୂର୍ବରୁ ବ୍ୟବସ୍ଥା ଥିଲା ଯେ ଜନ୍ମ କିମ୍ବା ମୃତ୍ୟୁର ପଞ୍ଜୀକରଣ 21 ଦିନ ଭିତରେ ହେବା ଜରୁରୀ ଏବଂ 21 ଦିନରୁ 1 ବର୍ଷ ମଧ୍ୟରେ ପଞ୍ଜୀକରଣ କଲେ ବିଳମ୍ବ ଶୁକ୍ଳ (Late Fee) ଦେବାକୁ ପଡ଼ୁଥିଲା। ସେ କହିଛନ୍ତି ଯେ ଜନ୍ମ ଏବଂ ମୃତ୍ୟୁର 1 ବର୍ଷ ଭିତରେ ସାଧାରଣ ପ୍ରକ୍ରିୟାରେ ପଞ୍ଜୀକରଣ ହୋଇଥାଏ ଏବଂ ଏଥିରେ କୌଣସି ପରିବର୍ତ୍ତନ କରାଯାଇନାହିଁ।

2 ବର୍ଷରୁ ଅଧିକ ବିଳମ୍ବ ହେଲେ କୋର୍ଟକୁ ଯିବାକୁ ପଡ଼ିବ

କିନ୍ତୁ ଯଦି ଜନ୍ମ କିମ୍ବା ମୃତ୍ୟୁର ସୂଚନା 1 ବର୍ଷରୁ ଅଧିକ ଏବଂ 2 ବର୍ଷ ଭିତରେ ଦିଆଯାଏ, ତେବେ ଏହାର ପଞ୍ଜୀକରଣ ଜିଲ୍ଲା ମାଜିଷ୍ଟ୍ରେଟ୍ (DM), ଉପ-ବିଭାଗୀୟ ମାଜିଷ୍ଟ୍ରେଟ୍ (SDM) କିମ୍ବା ସେମାନଙ୍କ ଦ୍ୱାରା କ୍ଷମତାପ୍ରାପ୍ତ କାର୍ଯ୍ୟପାଳକ ଦଣ୍ଡାଧିକାରୀଙ୍କ ଅନୁମତି ଏବଂ ଯାଞ୍ଚ ପରେ ହିଁ ହେବ। ସେ କହିଛନ୍ତି ଯେ ଯଦି ଜନ୍ମ କିମ୍ବା ମୃତ୍ୟୁ ଘଟଣାକୁ 2 ବର୍ଷରୁ ଅଧିକ ସମୟ ବିତିଯାଇଥାଏ, ତେବେ ବର୍ତ୍ତମାନ ଏହାର ପଞ୍ଜୀକରଣ ପାଇଁ ପ୍ରଥମ ଶ୍ରେଣୀର ନ୍ୟାୟିକ ମାଜିଷ୍ଟ୍ରେଟ୍ (JMFC) ଙ୍କ ଆଦେଶକୁ ବାଧ୍ୟତାମୂଳକ କରାଯାଇଛି। ସକ୍ଷମ ପ୍ରାଧିକାରୀଙ୍କ ଦ୍ୱାରା ପଞ୍ଜୀକରଣ ପାଇଁ ଅନୁମତି ଦେବା ପୂର୍ବରୁ, ଦିଆଯାଇଥିବା ତଥ୍ୟର ପ୍ରାମାଣିକତା ଯାଞ୍ଚ କରାଯିବ। ମନ୍ତ୍ରୀଙ୍କ ଜବାବ ପରେ ଏହି ବିଧେୟକକୁ ଧ୍ୱନିମତରେ ମଞ୍ଜୁରି ମିଳିଯାଇଥିଲା।

ଲୋକସଭା ଜୁଲାଇ 31 ତାରିଖରେ ବିରୋଧୀ ଦଳର ସଦସ୍ୟମାନଙ୍କ ହଙ୍ଗାମା ମଧ୍ୟରେ ବିନା ଆଲୋଚନାରେ ଏହି ବିଧେୟକକୁ ପାରିତ କରିଥିଲା। ବିରୋଧୀ ସଦସ୍ୟମାନେ କହିଥିଲେ ଯେ ଏହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଏବଂ ଗୃହମନ୍ତ୍ରୀ ଅମିତ ଶାହା ସଦନରେ ଉପସ୍ଥିତ ରହିବା ଉଚିତ୍। ବିରୋଧୀ ସଦସ୍ୟମାନେ ଗୃହମନ୍ତ୍ରୀଙ୍କ ଅନୁପସ୍ଥିତିକୁ ନେଇ୍ ନାରାବାଜି ମଧ୍ୟ କରିଥିଲେ। ହଙ୍ଗାମା ମଧ୍ୟରେ ହିଁ ବିଧେୟକ ଉପରେ ସଂକ୍ଷିପ୍ତ ଆଲୋଚନା ହୋଇଥିଲା ଏବଂ ଗୃହ ରାଜ୍ୟ ମନ୍ତ୍ରୀ ରାୟ ଏହାର ଜବାବ ଦେଇଥିଲେ।

ପରିବର୍ତ୍ତନର ଆବଶ୍ୟକତା କାହିଁକି ପଡ଼ିଲା?

ଏହି ପରିବର୍ତ୍ତନର ମୂଳଦୁଆ 2023 ମସିହାରେ କରାଯାଇଥିବା ସଂଶୋଧନରେ ରହିଛି। ସେହି ସଂଶୋଧନ ପରେ ଜନ୍ମ ପ୍ରମାଣପତ୍ରକୁ କୌଣସି ବ୍ୟକ୍ତିଙ୍କ ଜନ୍ମତାରିଖ ଏବଂ ଜନ୍ମସ୍ଥାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବେଜ୍ ଭାବେ ପରିଣତ କରାଯାଇଥିଲା। ଆଜି ଏହି ପ୍ରମାଣପତ୍ର ସ୍କୁଲ୍ ନାମଲେଖା, ଭୋଟର ତାଲିକାରେ ନାମ ଯୋଡ଼ାଇବା, ପାସପୋର୍ଟ, ଆଧାର, ଡ୍ରାଇଭିଂ ଲାଇସେନ୍ସ ଏବଂ ସରକାରୀ ଚାକିରି ସମେତ ଅନେକ ସରକାରୀ ସେବାର ମୂଳ ଆଧାର ପାଲଟିଛି। ସରକାରଙ୍କ ଯୁକ୍ତି ରହିଛି ଯେ ଯେତେବେଳେ ଗୋଟିଏ ଦସ୍ତାବେଜ୍ ଏତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି, ସେତେବେଳେ ଏହାକୁ ଜାଲ୍ ତରିକାରେ ପ୍ରସ୍ତୁତ କରିବାର ସମ୍ଭାବନା ମଧ୍ୟ ବଢ଼ିଯାଏ। ଏଭଳି ମାମଲାରେ ଅତିରିକ୍ତ ଯାଞ୍ଚ ଜରୁରୀ ଅଟେ। ଏହି ଚିନ୍ତାଧାରାକୁ ଆଧାର କରି 2 ବର୍ଷରୁ ଅଧିକ ପୁରୁଣା ମାମଲାଗୁଡ଼ିକର ଯାଞ୍ଚ ନ୍ୟାୟପାଳିକାଙ୍କୁ ହସ୍ତାନ୍ତର କରିବା ପାଇଁ ପ୍ରସ୍ତାବ ଅଣାଯାଇଛି।

ନୂତନ ବ୍ୟବସ୍ଥା କଣ?

  • ୨୧ ଦିନ ଭିତରେ: ଜନ୍ମ ବା ମୃତ୍ୟୁର ୨୧ ଦିନ ଭିତରେ ପଞ୍ଜୀକରଣ କରାଗଲେ ସାଧାରଣ ପ୍ରକ୍ରିୟା ଅନୁସରଣ କରାଯାଏ।
  • ୨୧ ଦିନରୁ ୧ ବର୍ଷ ମଧ୍ୟରେ: ଏହି ସମୟ ମଧ୍ୟରେ ପଞ୍ଜୀକରଣ ପାଇଁ ବିଳମ୍ବ ଶୁକ୍ଳ (Late Fee) ଦେବାକୁ ପଡ଼ିଥାଏ।
  • ୧ ବର୍ଷରୁ ୨ ବର୍ଷ ଭିତରେ: ଯଦି ୧ରୁ ୨ ବର୍ଷ ଭିତରେ ସୂଚନା ଦିଆଯାଏ, ତେବେ ଡିଏମ୍ (DM), ଏସଡିଏମ୍ (SDM) କିମ୍ବା କ୍ଷମତାପ୍ରାପ୍ତ କାର୍ଯ୍ୟପାଳକ ଦଣ୍ଡାଧିକାରୀଙ୍କ ଅନୁମତି ଏବଂ ଯାଞ୍ଚ ପରେ ପଞ୍ଜୀକରଣ ହେବ।
  • ୨ ବର୍ଷରୁ ଅଧିକ ଦେରି ହେଲେ: ଯଦି ଘଟଣାକୁ ୨ ବର୍ଷରୁ ଅଧିକ ସମୟ ବିତିଯାଇଥାଏ, ତେବେ କେବଳ ପ୍ରଥମ ଶ୍ରେଣୀର ନ୍ୟାୟିକ ମାଜିଷ୍ଟ୍ରେଟ୍ (JMFC) ଙ୍କ ଆଦେଶ ମିଳିବା ପରେ ହିଁ ପ୍ରମାଣପତ୍ର ପ୍ରସ୍ତୁତ ହୋଇପାରିବ।
Tagged:

Leave a Reply

Your email address will not be published. Required fields are marked *

🏡 BBSR PROPERTY INVESTMENT

ଭୁବନେଶ୍ୱର ପ୍ରାଇମ୍ ଲୋକେସନରେ ପ୍ରିମିୟମ୍ ଆବାସିକ ପ୍ଲଟ୍

ସମ୍ (SUM) ହସ୍ପିଟାଲଠାରୁ ୫ କିମି ଏବଂ କିମ୍ସ (KIMS) ଠାରୁ ୬ କିମି ମଧ୍ୟରେ ସମ୍ପୂର୍ଣ୍ଣ ଭେରିଫାଏଡ୍ ଜମି। ବିଦ୍ୟୁତ, ଜଳ ଯୋଗାଣ ଓ ପ୍ରଶସ୍ତ ରାସ୍ତାର ସୁବିଧା ସମ୍ପନ୍ନ।

💬 PRICE ପାଇଁ WHATSAPP କରନ୍ତୁ

📋 INSTANT ENQUIRY FORM

Editorial Policy | Privacy Policy | Terms & Conditions | Financial Disclaimer