ଗାଡ଼ି ଭିତରେ କାହାର ମୃତ୍ୟୁ ହେଲେ କିମ୍ବା ଘଟଣାସ୍ଥଳରେ କାର୍ ଥିଲେ, ତାହାକୁ ଆପେ ଆପେ ‘ସଡ଼କ ଦୁର୍ଘଟଣା’ (Motor Accident) ବୋଲି ଗ୍ରହଣ କରାଯାଇପାରିବ ନାହିଁ। ମୋଟର ଯାନ ଆଇନ ଅନୁସାରେ କ୍ଷତିପୂରଣ (Insurance Compensation) ପାଇବା ପାଇଁ ଗାଡ଼ିର ବ୍ୟବହାର ଏବଂ ମୃତ୍ୟୁ ମଧ୍ୟରେ ସିଧାସଳଖ ଓ ପ୍ରମାଣିତ ଆଇନଗତ ସମ୍ପର୍କ (Casual Connection) ରହିବା ଜରୁରୀ। ସୁପ୍ରିମ୍ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ଏହି ବଡ଼ ରାୟ ଦେଇଛନ୍ତି, ଯାହା ଦେଶର ଲକ୍ଷ ଲକ୍ଷ ଗାଡ଼ି ମାଲିକ ଓ ବୀମା କମ୍ପାନୀଗୁଡ଼ିକ ଉପରେ ସିଧାସଳଖ ପ୍ରଭାବ ପକାଇବ।
କ’ଣ ଥିଲା ମାମଲା?
ଛତିଶଗଡ଼ର ଜଣେ ବ୍ୟବସାୟୀ ଆନନ୍ଦଙ୍କୁ, ୨୯ ନଭେମ୍ବର ୨୦୦୯ରେ ତାଙ୍କ ବନ୍ଧୁ ଦିଲୀପ ଅଗ୍ରୱାଲଙ୍କ କାର୍ରେ ଶେଷଥର ପାଇଁ ଦେଖାଯାଇଥିଲେ। ତିନି ଦିନ ପରେ ବିନଜକୋଟ୍ ଗାଁ ନିକଟରୁ ଆନନ୍ଦଙ୍କ ମୃତଦେହ ମିଳିଥିଲା।
-
ପରିବାରର ଦାବି: ଆନନ୍ଦଙ୍କ ପରିବାର ଲୋକେ ଦାବି କରିଥିଲେ ଯେ ମୃତ୍ୟୁ ଗାଡ଼ି ବ୍ୟବହାର କାରଣରୁ ହୋଇଛି। ସେଥିପାଇଁ ମୋଟର ଯାନ ଆଇନ ୧୯୮୮ର ଧାରା ୧୬୬ ଅନୁସାରେ Motor Accident Claims Tribunal (MACT) ରେ ୨୬ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଥିଲେ।
-
ନିମ୍ନ ଆଦାଲତ ଓ ହାଇକୋର୍ଟଙ୍କ ରାୟ: MACT ଏହି ଦାବିକୁ ଗ୍ରହଣ କରି ୫.୬୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ହାଇକୋର୍ଟ ଏହାକୁ ବଢ଼ାଇ ୮.୬୦ ଲକ୍ଷ ଟଙ୍କା କରିଦେଇଥିଲେ।
-
ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ: ଏହି ଫେସଲାରେ ଅସନ୍ତୁଷ୍ଟ ହୋଇ ଗାଡ଼ି ଚାଳକ/ମାଲିକ ଦିଲୀପ ଅଗ୍ରୱାଲ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ସୁପ୍ରିମ୍ କୋର୍ଟ କ’ଣ କହିଲେ?
ଜଷ୍ଟିସ୍ ସଞ୍ଜୟ କରୋଲ ଏବଂ ଜଷ୍ଟିସ୍ ଅଗଷ୍ଟିନ୍ ଜର୍ଜ ମସୀହଙ୍କ ପୀଠ ଏହି ମାମଲାର ଶୁଣାଣି କରି ହାଇକୋର୍ଟଙ୍କ ରାୟକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛନ୍ତି।
-
‘ଲାଷ୍ଟ ସିନ୍’ ଓ ଫୋରେନ୍ସିକ୍ ପ୍ରମାଣର ଅଭାବ: ପୋଲିସ ‘ଶେଷଥର ଦେଖାଯିବା’ (Last Seen Theory) କୁ ପ୍ରମାଣ କରିବାରେ ବିଫଳ ହୋଇଥିଲା। ଗାଡ଼ି ଭିତରୁ କୌଣସି ରକ୍ତ ଜୁଡ଼ୁବୁଡ଼ୁ ଦାଗ, ବାଳ, କିମ୍ବା ଚର୍ମର ଅଂଶ (Skin cells) ମିଳିନଥିଲା, ଯାହା ପ୍ରମାଣ କରିପାରିବ ଯେ କୌଣସି ଦୁର୍ଘଟଣା ବା ଧକ୍କା ଯୋଗୁଁ ମୃତ୍ୟୁ ହୋଇଛି।
-
କେବଳ ଗାଡ଼ି ଥିଲେ ଦୁର୍ଘଟଣା ନୁହେଁ: କୋର୍ଟ ସ୍ପଷ୍ଟ କହିଛନ୍ତି, କେବଳ ଘଟଣାସ୍ଥଳରେ ଗାଡ଼ି ଉପସ୍ଥିତ ଥିଲେ କିମ୍ବା ଗାଡ଼ି ଭିତରେ କାହାର ମୃତ୍ୟୁ ହେଲେ ତାହା ମୋଟର ଦୁର୍ଘଟଣା ହୋଇଯାଏନାହିଁ।
-
ମୋଟର ଯାନ ଆଇନର ଧାରା ୧୬୫ ଓ ୧୬୬: ଯଦି ମୃତ୍ୟୁ କୌଣସି ହତ୍ୟା କିମ୍ବା ଅଲଗା ଅପରାଧିକ ଘଟଣା ଯୋଗୁଁ ହୋଇଥାଏ, ଏବଂ ଗାଡ଼ି କେବଳ ସେଠାରେ ଠିଆ ହୋଇଥାଏ, ତେବେ ମୋଟର ଯାନ ଆଇନ ସ୍ୱତଃ ପ୍ରବୃତ୍ତ ଭାବେ ଲାଗୁ ହେବ ନାହିଁ।
ବୀମା କମ୍ପାନୀ ଓ ଦାବିଦାରଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ?
-
କ୍ଷତିପୂରଣ ଦାବିଦାରଙ୍କ ପାଇଁ: ଏବେ କେବଳ “ଗାଡ଼ି ଘଟଣାରେ ଜଡ଼ିତ ଥିଲା” ବୋଲି କହିଲେ କ୍ଷତିପୂରଣ ମିଳିବ ନାହିଁ। ମୃତ୍ୟୁ ଓ ଗାଡ଼ିର ବ୍ୟବହାର ମଧ୍ୟରେ ପ୍ରତ୍ୟକ୍ଷ ଓ ସଠିକ୍ ପ୍ରମାଣ (Medical/Forensic Proof) କୋର୍ଟରେ ଦେବାକୁ ପଡ଼ିବ।
-
ବୀମା କମ୍ପାନୀଙ୍କ ପାଇଁ: ବୀମା କମ୍ପାନୀଗୁଡ଼ିକ ବିନା ପ୍ରମାଣରେ ଦିଆଯାଉଥିବା ନକଲି ବା ଭୁଲ୍ କ୍ଷତିପୂରଣ ଦାବିରୁ ରକ୍ଷା ପାଇବେ।









